ହାତ ଧରିଲେ ପଞ୍ଚାନନ

ଦୀର୍ଘଦିନ ହେଲା ବିଜେଡି ଛାଡିଥିବା ବରିଷ୍ଠ ନେତା ତଥା ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନଗୋ ଆଜି ରାହୁଲଗାନ୍ଧୀଙ୍କ ଗସ୍ତ ସମୟରେ କଂଗ୍ରେସରେ ଯୋଗ ଦେଇଛନ୍ତି। ଏଥିସହିତ କଂଗ୍ରେସରେ ମିଶିଛନ୍ତି ଜୁନାଗଡ଼ ରାଜା ଅନୀଲ ସିଂହଦେଓ ଓ ରାଜସ୍ଥାନର ପୂର୍ବତନ ମୁଖ୍ୟ ଶାସନ ସଚିବ ଜଗଦିଶ ଚନ୍ଦ୍ର ମହାନ୍ତି। ୨୦୦୬ ମସିହାରୁ ବିଜେଡି ଛାଡିଥିବା ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନଗୋ ସକ୍ରୀୟ ରାଜନୀତିରୁ ନିଜକୁ ଦୂରେଇ ରଖିଥିଲେ ମଧ୍ୟ ରାଜ୍ୟର ରାଜନୀତିକୁ ବରାବର ସମୀକ୍ଷା କରି ଆସୁଥିଲେ ।

୧୯୭୦ ମସିହାରେ ଛାତ୍ରଅବସ୍ଥାରେ କଂଗ୍ରେସ ଦଳ ସହ ସଂପୃକ୍ତ ଥିବା ପଞ୍ଚାନନଙ୍କର ଏହା ଘର ବାହୁଡା ହେବ ବୋଲି କୁହାଯାଉଛି । ସୂଚନାଯୋଗ୍ୟ ଯେ, କଂଗ୍ରେସର ଛାମୁଆ ଛାତ୍ର ସଂଗଠନ ଏନଏସୟୁଆଇର ପ୍ରତିଷ୍ଠାତା ସଦସ୍ୟ ଥିଲେ ପଞ୍ଚାନନ କାନୁନଗୋ । ପରବର୍ତ୍ତୀ ସମୟରେ ସେ ଉତ୍କଳ ବିଶ୍ବବିଦ୍ୟାଳୟ ଛାତ୍ର ସଂସଦର ସଭାପତି ଭାବେ ନିର୍ବାଚିତ ହୋଇଥିଲେ । ଯୁବ କଂଗ୍ରେସ ସହ ମଧ୍ୟ ଶ୍ରୀ କାନୁନଗୋ ସଂପୃକ୍ତ ଥିଲେ । ଅମ୍ବିକା ସୋନିଙ୍କ ସହ ସେ ଯୁବକଂଗ୍ରେସର ମୁଖପତ୍ର ୟଂଙ୍ଗ ମାର୍ଚ୍ଚ ଏବଂ ଯୁବ ପ୍ରଗତୀର ସହଯୋଗୀ ସମ୍ପାଦକ ଥିଲେ । ତେବେ ଜରୁରୀ ପରିସ୍ଥିତିକୁ ବିରୋଧ କରି ଜେଲ ଯିବାପରେ କଂଗ୍ରେସ ଛାଡିଥିଲେ । ୧୯୭୭ ମସିହାରେ ନିର୍ବାଚନ ରାଜନୀତିରେ ପାଦ ଦେଇଥିଲେ ସେ । ୧୯୭୭ ମସିହାରେ ଜନତା ପାର୍ଟି ଟିକେଟରେ ଗୋବିନ୍ଦପୁର ବିଧାନସଭା ନିର୍ବାଚନମଣ୍ଡଳିରୁ ପ୍ରତିଦ୍ବନ୍ଦ୍ବିତା କରି ବିଜୟୀ ହୋଇଥିଲେ ।

ତେବେ ଏହାପରେ ଦୀର୍ଘ ଦିନ ଧରି ଶ୍ରୀ କାନୁନଗୋ ଭୋଟ ରାଜନୀତିରୁ ନିଜକୁ ଦୂରେଇ ରଖି ଟ୍ରେଡ ୟୁନିଅନ ସହ ସଂପୃକ୍ତ ରହିଥିଲେ । ୧୯୯୫ ମସିହାରେ ପୁଣି ଜନତାଦଳ ଟିକେଟରେ ଗୋବିନ୍ଦପୁର ବିଧାନସଭା ନିର୍ବାଚନମଣ୍ଡଳିରୁ ପ୍ରାର୍ଥୀ ହୋଇ ବିଜୟୀ ହୋଇଥିଲେ । ୧୯୯୭ ମସିହାରେ ବିଜୁ ଜନତାଦଳ ଗଠନ ବେଳେ ସେ ତାର ପ୍ରତିଷ୍ଠାତା ସଦସ୍ୟ ରହିଥିଲେ । ୨୦୦୦ ମସିହାରେ ବିଜୁ ଜନତାଦଳ ଟିକେଟରେ ଗୋବିନ୍ଦପୁରରୁ ବିଧାନସଭାକୁ ନିର୍ବାଚିତ ହେବାପରେ ସେ ଅର୍ଥ ବିଭାଗର ମନ୍ତ୍ରୀ ହୋଇଥଲେ । ତେବେ ୨୦୦୪ ମସିହାରେ ସେ ନିର୍ବାଚନ ହାରିଯାଇଥିଲେ ।

ଦଳର ନେତୃତ୍ବ ସହ ତାଙ୍କର ସମ୍ପର୍କ ଖରାପ ହୋଇଥିଲା । ମୁଖ୍ୟତଃ ପ୍ୟାରୀମୋହନ ମହାପାତ୍ରଙ୍କୁ ବିରୋଧ କିରିବା ଆରମ୍ଭ କରିଥିଲେ । ଦଳରେ ଆଭ୍ୟନ୍ତରୀଣ ଗଣତନ୍ତ୍ର ନାହିଁ ବୋଲି ଦର୍ଶାଇ ସେ ୨୦୦୬ ମସିହାରୁ ବିଜେଡିଠୁ ନିଜକୁ ଦୂରେଇ ରଖିଥିଲେ । ତେବେ ୨୦୦୮ ମସିହା ଏପ୍ରିଲ ମାସରେ ସେ ବିଜେଡିରୁ ବିଧିବଦ୍ଧ ଇସ୍ତଫା ଦେଇଥିଲେ ।

Leave a Reply

Your email address will not be published. Required fields are marked *