ବିଜେପିକୁ ଯିବେ କିଶୋର !
ଝାରସୁଗୁଡା ବିଜେଡିର ବରିଷ୍ଠ ନେତା କିଶୋର ମହାନ୍ତି ଏବେ ଅଡୁଆରେ। ଦଳରେ ଯୋଗ ଦେବାକୁ ଥିବା କଂଗ୍ରେସ ନେତା ନବ ଦାସଙ୍କ ସହିତ ହାତ ମିଳାଇ ଚଳିବା ସହିତ ତାଙ୍କୁ ସହଯୋଗ କରିବାକୁ ଗୋଟିଏ ପଟେ ପାର୍ଟି ମୁଖିଆଙ୍କ କଡା ତାଗିଦ ଥିବାବେଳେ ବେଳ ଥାଉଁ ଥାଉଁ ବିକଳ୍ପ ସନ୍ଧାନ କରିବାକୁ ଅନ୍ୟ ପଟେ କର୍ମୀମାନଙ୍କ ଚାପ କିଶୋର ମହାନ୍ତିଙ୍କ ଉପରେ ପଡ଼ିବାରେ ଲାଗିଛି। ଏହି ସବୁ ଘଟଣାକୁ ନେଇ ପୂର୍ବତନ ବାଚସ୍ପତି କିଶୋର ମହାନ୍ତି ଚାପରେ ଅଛନ୍ତି ବୋଲି ତାଙ୍କ କର୍ମୀମାନଙ୍କ ମହଲରେ ଆଲୋଚନା ହେଉଛି।
ଝାରସୁଗୁଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀରେ ପାରମ୍ପରିକ ପ୍ରତୀଦ୍ୱନ୍ଦ୍ୱୀ ଭାବେ ଜଣାଶୁଣା ନବ ଓ କିଶୋର ମଧ୍ୟରେ ସବୁବେଳେ କଡା ଟକ୍କର ଚାଲିଥାଏ। ତେଣୁ ନବ ଦାସ ବିଜେଡି ଆସିବାକୁ କିଶୋର ମହାନ୍ତିଙ୍କ ସମର୍ଥକ କଥା ବିଜେଡ଼ି କର୍ମୀମାନେ ସହଜରେ ଗ୍ରହଣ କରୁନାହାନ୍ତି। ସମର୍ଥକମାନେ ଦଳ ଛାଡି ବିଜେପିକୁ ଯିବାପାଇଁ କିଶୋରଙ୍କ ଉପରେ ଚାପ ପକାଉଛନ୍ତି। ଯଦି ତାଙ୍କର ନେତା ତାଙ୍କ କଥା ନଶୁଣନ୍ତି ତେବେ ତୃଣମୂଳ ସ୍ତରର ଅଧିକାଂଶ ନେତା ଓ କର୍ମୀ ଦଳ ଛାଡି ଚାଲିଯିବେ ବୋଲି କିଶୋରଙ୍କର ଘନିଷ୍ଠ ସହଯୋଗୀମାନେ କହୁଛନ୍ତି। କର୍ମୀଙ୍କ ଏପରି ଧମକ ଫଳରେ କିଶୋର ମହାନ୍ତି ଅଡୁଆରେ ପଡ଼ିଯାଇଛନ୍ତି। ଏପରିକି ସେ ଖୁବଶୀଘ୍ର ବିଜେଡିକୁ ବାଏ ବାଏ କରିବେ ବୋଲି ଝାରସୁଗୁଡା ଅଞ୍ଚଳରେ ଏବେ ମୁଖ୍ୟ ଚର୍ଚ୍ଚାର ବିଷୟ ପାଲଟିଛି।
ଏଭଳି ସ୍ଥିତିରେ କିଶୋର ମହାନ୍ତି ନବଙ୍କ ନେତୃତ୍ୱକୁ ସମ୍ମାନ ଦେବେ ନା ଦଳ ଛାଡିବେ ଏହାକୁ ନେଇ ଏବେ ଚର୍ଚ୍ଚା ଚାଲିଥିବା ବେଳେ ସ୍ଥାନୀୟ ଅଞ୍ଚଳର କିଛି ବରିଷ୍ଠ ନେତାଙ୍କୁ ଡାକି କିଶୋର ଏକ ଗୁପ୍ତ ବୈଠକ କରିଥିବା କଥା ଏବେ ଜିଲ୍ଲାରେ ଚର୍ଚ୍ଚା ହେଉଛି।