ନବ ଦାସଙ୍କୁ ବିଜେଡିରେ ବିରୋଧ ଆରମ୍ଭ

ସମ୍ବଲପୁର, (ପ୍ରଫୁଲ୍ଲ କୁମାର ଦାଶ): ବାରମ୍ବାର ମିଡିଆ ଆଗରେ ପ୍ରତ୍ୟକ୍ଷ ବା ପରୋକ୍ଷ ବୟାନ କରି ଝାରସୁଗୁଡ଼ା ବିଧାୟକ ନବ ଦାସ ଯେମିତି ଚକ୍‌ମା ଦେଖାଉଛନ୍ତି ତାହା ବିଜେଡି ନେତୃବୃନ୍ଦଙ୍କୁ ଅସହ୍ୟ କରିଦେଇଛି। ଉପକୂଳ ଅଞ୍ଚଳରେ ବିଜେଡି ନେତାଏଁ ଚୁପ୍‌ ବସି ସଭାପତି ନବୀନଙ୍କ ଇଙ୍ଗିତକୁ ଅପେକ୍ଷା କରିଥିବା ବେଳେ ରାଜ୍ୟର ପଶ୍ଚିମାଞ୍ଚଳରେ ଥିବା ବିଜେଡି ନେତାମାନେ ଏବେ ନବଙ୍କ ବିରୋଧରେ ଖୋଲା ଖୋଲି କହିବା ଆରମ୍ଭ କରିଦେଲେଣି। ଅର୍ଥାତ୍‌ ବିଜେଡି ନବଙ୍କୁ ନେଲେ ସବୁ କିଛି ଠିକଣା ରହିବ ତାହା କହିବା ଠିକ୍‌ ନୁହେଁ।

ବିଜେଡିର ସାମ୍ବିଧାନିକ ପଦବୀ ବହନ କରୁଥିବା ରାଜ୍ୟ ପରିଷଦ ସଦସ୍ୟ ତଥା ସମ୍ବଲପୁର ବିଜେଡିର ଜଣେ ଟାଣୁଆ ନେତା ଜୟବ୍ରତ ଦେ’ ନବଙ୍କ ବିଜେଡିରେ ଯୋଗଦାନକୁ ଅସମ୍ଭବ ବୋଲି ବଣ୍ଣନା କରିଛନ୍ତି। ଏହା ତାଙ୍କର ଏକ ରାଜନୀତିକ ଚାଲ୍‌ ବୋଲି କହିଛନ୍ତି ଜୟବ୍ରତ।

କପୋଳକଳ୍ପିତ କାହାଣୀ

ଏ ସମ୍ପର୍କରେ ଜୟବ୍ରତ ଖୋଦ୍‌ ଏକ ବାର୍ତ୍ତାକୁ ଗଣମାଧ୍ୟମ ପ୍ରତିନିଧି ଓ କିଛି ବିଜେଡି କର୍ମୀଙ୍କୁ ପ୍ରେରଣ କରିଛନ୍ତି। ଓଡ଼ିଶାଟାଇମ୍‌ର ହସ୍ତଗତ ହୋଇଥିବା ଏହି ହ୍ବାଟ୍ଆପ୍‌ ବାର୍ତ୍ତାରେ ଉଲ୍ଲେଖ ରହିଛି, ‘ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁର୍ନୀତି, ଭ୍ରଷ୍ଟାଚାର ଓ ରାଜନୈତିକ ଅପରାଧିକାରଣ ବିରୋଧରେ ନେଇଥିବା ଏକାଧିକ ବଳିଷ୍ଠ ପଦକ୍ଷେପ ତାଙ୍କ ପାଇଁ ଓ ଦଳ ପାଇଁ ସ୍ୱତନ୍ତ୍ର ସମ୍ମାନ ଆଣି ଦେଇଛି। ଆଉ ତାହାରି ଆଧାରରେ ତାଙ୍କ ସରକାର ପଞ୍ଚମ ଥର ପାଇଁ ଉଦୟ ହେବା ପାଇଁ ବାତାବରଣ ରହିଛି। ଏ ପ୍ରକାର ସ୍ଥିତିରେ ବିଜେଡି କିମ୍ବା ନବୀନ ବାବୁଙ୍କୁ ନବ ଦାସଙ୍କ ପରି ନେତାଙ୍କର ଆବଶ୍ୟକ ନାହିଁ। ନବ ଦାସଙ୍କ ସହ ୬ ଟି ଆସନର ବୁଝାମଣା ହୋଇଥିବା ଓ ସେ ବିଜେଡି ରେ ଯୋଗଦାନ ସମ୍ପର୍କିତ ସମ୍ବାଦ ପତ୍ର ମାନଙ୍କରେ ବାହାରୁଥିବା କାହାଣୀ ସମ୍ପୂର୍ଣ୍ଣ ଭାବରେ  କପୋଳକଳ୍ପିତ ଅଟେ’।

ବିଜେଡିର କିଛି ନେତା ବି ସମ୍ପୃକ୍ତ

ନିଜ ଦଳ ଭିତରେ ଗୁରୁତ୍ବହୀନ ହୋଇ ପଡି ଥିବା ନବ ଦାସ ଗଣମାଧ୍ୟମ କୁ ବିଭ୍ରାନ୍ତ କରି ବିଜେଡି ରେ ଯୋଗଦାନର ବାରମ୍ବାର ସମ୍ବାଦ ଦେଇ ନିଜର ଗୁରୁତ୍ୱ ବଢାଇବା ପାଇଁ ତଥା ମୁଲଚାଲ କରୁଛନ୍ତି ବୋଲି ଶ୍ରୀ ଦେ ଅଭିଯୋଗ କରିଛନ୍ତି। ସମ୍ବଲପୁର ଓ ଝାରସୁଗୁଡା ଜିଲ୍ଲାର ବିଜେଡି ସଂଗଠନ ଭିତରେ ଦ୍ଵନ୍ଦାତ୍ମକ ସ୍ଥିତି ସୃଷ୍ଟି ସହ ନିଜ ଦଳ ଭିତରେ ନିଜର ଗୁରୁତ୍ୱ ବଢାଇବା ପାଇଁ ନବ ଦାସ ଯେଉଁ ଚାଲ ଚାଲିଛନ୍ତି ତାହା ଭବିଷ୍ୟତରେ ତାଙ୍କ ପାଇଁ ଭାରି ପଡିବ। ଭିନ୍ନ ଭିନ୍ନ ସ୍ୱାର୍ଥରେ ବିଜେଡିର କିଛି ନେତା ମଧ୍ୟ ଯୋଗଦାନ କଥାକୁ ନେଇ ନୂଆ ନୁଆ କାହାଣୀ ତିଆରି କରୁଛନ୍ତି। ନିଜେ ଲୋକ ଠିକ କରି ତାଙ୍କ ଦ୍ୱାରା ପ୍ରସ୍ତାବ ଦେଇ ନବ ଦାସ କହୁଛନ୍ତି ଯେ ଝାରସୁଗୁଡ଼ାବାସୀ ଚାହାନ୍ତି ଯେ ସେ ବିଜେଡି ରେ ଯୋଗଦାନ କରନ୍ତୁ। ତାର ଅର୍ଥ ନୁହେଁ କି ତାଙ୍କୁ ଯୋଗଦାନ ପାଇଁ ଅନୁମତି ମିଳିଛି।

କଳୀମାମୟ ନବଙ୍କ ଇତିହାସ

ନବ ଦାସଙ୍କ ରାଜନୈତିକ ପୃଷ୍ଠ ଭୂମି ଜଣା ଥିବାରୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ସବୁଜ ସଙ୍କେତ ନା ଥିଲା ଆଉ ନା ରହିବ। ତା ଛଡା ଝାରସୁଗୁଡା ରେ ଜିତିବାର କାରଣ ଭିନ୍ନ ଓ ତଥାକଥିତ  ଆସନ ଗୁଡିକରେ ନବ ଦାସଙ୍କ କଳା କାହାଣୀ ଲୋକେ ଜାଣିଥିବାରୁ ବିରୋଧୀ ଭୋଟ ରହିଛି। ଏଣୁ ନବ ଦାସ ଗଣମାଧ୍ୟମ ମାଧ୍ୟମରେ ଚାପ ସୃଷ୍ଟି ପାଇଁ ଏହା ଏକ ଯୋଜନା ବଦ୍ଧ ପ୍ରୟାସ କରୁଛନ୍ତି। ଏହାକୁ ପୂର୍ବତନ SDA ଅଧ୍ୟକ୍ଷ ତଥା ବିଜେଡିର ରାଜ୍ୟ ପରିଷଦ ସଭ୍ୟ ଶ୍ରୀ ଜୟବ୍ରତ ଦେ ଦୃଢ଼ ନିନ୍ଦା କରିଛନ୍ତି। ନବ ଦାସଙ୍କ ଯୋଗଦାନ ଏକ କାହାଣୀ ଓ ତାହା କାହାଣୀରେ ରହିଯିବ ବୋଲି ଶ୍ରୀ ଦେ କହିଛନ୍ତି।

Leave a Reply

Your email address will not be published. Required fields are marked *