ମହିଳା ଇନ୍ସପେକ୍ଟରଙ୍କ ମାୟାରେ ନିଶୁଆ ପୁଲିସ‍୍‌ ବାୟା

ରାଜଧାନୀରେ ଏବେ ଜଣେ ବଡ ପୁଲିସ‍୍‌ ବାବୁଙ୍କର ପ୍ରେମକାହାଣୀ ଚର୍ଚ୍ଚାରେ। କ୍ରାଇମବ୍ରାଞ୍ଚର ନିଶୁଆ ପୁଲିସ‍୍‌ ବାବୁ ନିଜ ଦପ୍ତରରେ ଥିବା ଜଣେ ମହିଳା ଇନ୍ସପେକ୍ଟରଙ୍କ ସହ ଏହି ପ୍ରେମ ଏବେ ପୂରା ଦମ‍୍‌ରେ ଚାଲିଛି। ବାବୁଙ୍କୁ ପ୍ରେମ ନିଶା ଏଭଳି ଘାରିଛି ଯେ ସମ୍ପୃକ୍ତ ମହିଳା ଇନ୍ସପେକ୍ଟରଙ୍କର ଯୁଆଡେ ବଦଳି ହେଉଛି ବାବୁ ଜଣଙ୍କ ତାହାକୁ ବାତିଲ କରିଦେଉଛନ୍ତି।

ପ୍ରେମଲୀଳାର ଏହି କାହାଣୀ କ୍ରାଇମବ୍ରାଞ୍ଚ ଦପ୍ତରର କାନ୍ଥବାଡ ଡେଇଁ ସଚିବାଳୟରେ ପହଞ୍ଚିବାପରେ ତାହା ଏଠାରେ ବି ଜୋରଦାର ଚର୍ଚ୍ଚା ହେଉଛି। ସୂଚନା ଅନୁଯାୟୀ ମହିଳା ଇନ୍ସପେକ୍ଟର ଜଣଙ୍କ କ୍ରାଇମବ୍ରାଞ୍ଚରେ କାର୍ଯ୍ୟ କରିବା ଦିନଠୁ ରାଜଧାନୀ ଛାଡି କୁଆଡେ ଯାଉ ନାହାନ୍ତି। ଯେତେଥର ବଦଳି ହେଲେ ତାହା ବାତିଲ ହୋଇଯାଉଛି। ମ୍ୟାଡାମଙ୍କର ଏଭଳି କରିତ୍କର୍ମା କାରବାର ଦେଖି ଏହା ପଛରେ କିଏ ବୋଲି ଦପ୍ତରର କିଛି କିରାଣୀ ଓ ଆଉ କିଛି ପୁଲିସ‍୍‌ ବାବୁ ଖୋଳତାଡ ଚଳାଇଲେ।

ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିଲା ଭଳି ଯେଉଁ ତଥ୍ୟ ପଦାକୁ ଆସିଲା ତାହାକୁ ଦେଖି ଅନ୍ୟମାନେ ତାଜୁବ। ମ୍ୟାଡାମଙ୍କର ସମ୍ପର୍କ ବେଶ‍୍‌ ଗହିରୀଆ ହୋଇଛି ତାଙ୍କ ଉପରେ ଥିବା ନିଶୁଆ ହାକିମଙ୍କ ସହିତ। ହାକିମଙ୍କ ଅଭୟ ଯୋଗୁଁ ତାଙ୍କର ବଦଳି ହେଉନାହିଁ। କାମ କରିବାକୁ ବି କେହି ଜୁ ଖଟାଇ କିଛି କହିପାରୁ ନାହାନ୍ତି। ଯିଏ କହୁଛି ନିଶୁଆ ହାକିମ ତାକୁ ଫୋନ‍୍‌ କରି ଧମକାଉଛନ୍ତି।

ମହିଳା ଜଣଙ୍କ ଦୀର୍ଘଦିନ ଧରି ତାଙ୍କର ଏହି ଚୋରା ପୀରତି ସମ୍ପର୍କରେ ସମସ୍ତଙ୍କୁ ଅନ୍ଧାରରେ ରଖିଛନ୍ତି। କାଳେ ନିଜ ପରିବାର ଏହାର ସୁରାକ ପାଇବେ ସେଥିପାଇଁ ପୁଲିସିଆ ଷ୍ଟାଇଲ‍୍‌ରେ ପୂରା ଗୁପ୍ତ ରଖିଥିଲେ। ନିଶୁଆ ବାବୁ ବି କିଛି କମ‍୍‌ ନୁହେଁ। ବିଲେଇ ଆଖିବୁଜି ଖିର ପିଇଲା ଭଳି ପିଇ ଚାଲିଥିଲେ। ହେଲେ ସତ କେବେ ଲୁଚି ରହେନା ନ୍ୟାୟରେ ଏବେ ବିଭାଗର କିଛି ତଳିଆ ଖାକି ଭାଇ ଏହାର ରହସ୍ୟ ଉଦ‍୍‌ଘାଟନ କରିଛନ୍ତି। ହେଲେ ନିଶୁଆ ବାବୁଙ୍କ ପ୍ରକୋପ ଭୟରେ କେହି କିଛି ମୁହଁ ଖୋଲୁ ନଥିବାବେଳେ ଖାଲି ଯାହା ମ୍ୟାଡାମଙ୍କୁ ଦେଖିଲେ ମୁରୁକି ମୁରୁକି ହସୁଛନ୍ତି।

Leave a Reply

Your email address will not be published. Required fields are marked *