ଗାଭାସ୍କରଙ୍କ ଭଳି ବ୍ୟାଟ୍ ଧରିବା ଷ୍ଟାଇଲକୁ ନକଲ କରିବା ପାଇଁ ତାହିରଙ୍କୁ ଲାଗିଥିଲା ୬ ମାସ, ଫାଷ୍ଟଲୁକ୍ ରିଲିଜ୍
ଭାରତର ପ୍ରଥମ ବିଶ୍ୱକପ୍ ବିଜୟର କାହାଣୀ ନେଇ ଆସୁଛି ‘୮୩’ । ଏହାର ମୁଖ୍ୟ ଚରିତ୍ର କପିଲ ଦେବଙ୍କ ଭୂମିକାରେ ଥିବା ରଣବୀର୍ ସିଂଙ୍କ ଫାଷ୍ଟଲୁକ୍ କିଛିଦିନ ତଳେ ରିଲିଜ୍ ହୋଇଥିଲା । ଅବିକଳ କପିଳଙ୍କ ଭଳି ଦିଶୁଥିବା ରଣବୀରଙ୍କ ସେହି ଲୁକକୁ ନେଇ ହେଉଥିବା ଚର୍ଚ୍ଚା ଆଜିପର୍ଯ୍ୟନ୍ତ ଥମିବାର ନାଁ ଧରୁନି । ରଣବୀରଙ୍କ ପରେ ଫିଲ୍ମର ଆଉ ଜଣେ ତାରକା ତାହିର ରାଜ୍ ଭସିନଙ୍କ ଫାଷ୍ଟଲୁକ୍ ରିଲିଜ୍ ହୋଇଛି । ତାହିର୍ ଗାଭାସ୍କରଙ୍କ ଭୂମିକାରେ ଅଛନ୍ତି । ଗାଭାସ୍କରଙ୍କ ଭୂମିକାରେ ଅଭିନୟ କରିବା ଖୁବ୍ କଷ୍ଟ ବୋଲି ତାହିର୍ କହିଛନ୍ତି । ମିଡିଆ ସହିତ ଏକ ସାକ୍ଷାତକାରରେ ତାହିର୍ କହିଥିଲେ ଯେ ଗାଭାସ୍କରଙ୍କ ବ୍ୟାଟ ଧରିବା ଷ୍ଟାଇଲର ଅବିକଳ ନକଲ କରିବା ପାଇଁ ମୋତେ ୬ ମାସ ସମୟ ଲାଗିଥିଲା । ତେଣୁ ପରଦା ଉପରେ ଗାଭାସ୍କରଙ୍କ ଭୂମିକାରେ ନିଜକୁ ପ୍ରମାଣିତ କରିବା ଖୁବ୍ କଷ୍ଟକର । ଏଥିପାଇଁ ମୁଁ ବିଶେଷ ପ୍ରଶୀକ୍ଷଣ ନେଉଛି ।
ପୂର୍ବ ଭାରତୀୟ କ୍ରିକେଟର୍ ବଲବିନ୍ଦର ସଂଘୁ ଓ ଫିଟନେସ୍ କୋଚ୍ ରାଜୀବ ମେହେରା ତାହିରଙ୍କ ବଡ଼ି ଲାଙ୍ଗୁଏଜକୁ ସଠିକ୍ କରିବା ସହିତ ଗାଭାସ୍କରଙ୍କ ବ୍ୟାଟିଙ୍ଗ୍ ଷ୍ଟାଇଲ ଶିଖାଇବା ପାଇଁ ତାଙ୍କ ସହିତ ୬ ମାସ ରହିଥିଲେ । ଏହାପରେ ହିଁ ତାହିର୍ ଗାଭାସ୍କରଙ୍କ ଭଳି ସର୍ଟ ଖେଳିବା ପାଇଁ ପରଫେକ୍ଟ ହୋଇଥିଲେ । ଆଗାମୀ ଦିନରେ ‘୮୩’ର ଅନ୍ୟ ତାରକାଙ୍କ ଫାଷ୍ଟଲୁକ୍ ସାମନାକୁ ଆସିବ ।