ଶିଶୁ ସୁରକ୍ଷା ଚିନ୍ତା: ବନ୍ଦ ହେବ ୨୦ହଜାର ବେଆଇନ ପ୍ରାଥମିକ ସ୍କୁଲ

ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ସରକାରୀ ଅନୁମୋଦନ ବିନା ହଜାର ହଜାର ସଂଖ୍ୟାରେ ଖୋଲାଯାଇଥିବା ପ୍ରାଥମିକ ଶିକ୍ଷା ଅନୁଷ୍ଠାନଗୁଡ଼ିକ ବନ୍ଦ କରିଦେବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ମିଳିଛି। ଜାତୀୟ ଶିଶୁ ସୁରକ୍ଷା କମିଶନ(ଏନ ସିପିସିଆର)ଙ୍କ ପକ୍ଷରୁ ରାଜ୍ୟ ଗଣଶିକ୍ଷା ବିଭାଗକୁ ଦିଆଯାଇଥିବା କାରଣ ଦର୍ଶାଅ ନୋଟିସ ରେ କାହିଁକି ଏଭଳି ସ୍କୁଲଗୁଡ଼ିକ ବନ୍ଦ କରାଯାଇ ନାହିଁ, ତାହା ନିର୍ଦ୍ଧାରିତ ସମୟ ସୀମାରେ ଜଣାଇବାକୁ କୁହାଯାଇଛି।

ଏନସିପିସିଆର ପକ୍ଷରୁ ଗଣଶିକ୍ଷା ସଚିବଙ୍କୁ ଜାରି ହୋଇଥିବା କାରଣ ଦର୍ଶାଅ ନୋଟିସରେ କୁହାଯାଇଛି ବହୁ ପୂର୍ବରୁ ଏନେଇ ରାଜ୍ୟ ସରକାରଙ୍କୁ ସତର୍କ କରାଯାଇଥିଲେ ମଧ୍ୟ ଆଜିଯାଏ କାହିଁକି ତାହା କାର୍ଯ୍ୟକାରୀ ହୋଇନାହିଁ ବୋଲି ଜାଣିବାକୁ ଚାହିଁଛନ୍ତି। ଏହି ଶିକ୍ଷାନୁଷ୍ଠାନଗୁଡ଼ିକ ରାଜ୍ୟର ଛାତ୍ରଛାତ୍ରୀମାନଙ୍କ ଶିକ୍ଷାଗତମାନକୁ କମାଇବାରେ କାର୍ଯ୍ୟ କରୁଛନ୍ତି ବୋଲି ଦର୍ଶାଇଛନ୍ତି।

କମିଶନଙ୍କ ପକ୍ଷରୁ ଗଣଶିକ୍ଷା ବିଭାଗକୁ ଜାରି ହୋଇଥିବା ନୋଟିସରେ ଦର୍ଶାଯାଇଛି ଯେ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ମନ୍ଦ ଉଦ୍ଦେଶ୍ୟ ରଖି ଛତୁ ଫୁଟିଲା ଭଳି ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷାନୁଷ୍ଠାନ ଖୋଲାଯାଇ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ଖେଳାଯାଇଛି। ଏହିସବୁ ବିଦ୍ୟାଳୟରେ ଶିକ୍ଷାଦାନ କରୁଥିବା ଶିକ୍ଷକମାନଙ୍କର କୌଣସି ପ୍ରକାର ଅଭିଜ୍ଞତା ନଥିବାବେଳେ ସେମାନେ ଶିକ୍ଷାଦାନ କରୁଛନ୍ତି। ଓଟିଇଟି, ସିଟି ଓ ବିଇଡି ଭଳି ଯୋଗ୍ୟତା ନଥାଇ ମାଟ୍ରିକ ପାସ କରିଥିବା ପ୍ରାର୍ଥୀଙ୍କୁ ଶିକ୍ଷକଭାବେ ନିଯୁକ୍ତି ଦିଆଯାଇଛି। ଏହାଫଳରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଗୁଣାତ୍ମକ ଜ୍ଞାନର ପରିପ୍ରକାଶ ହେଉନାହିଁ।

କେନ୍ଦ୍ର ସରକାର ଛାତ୍ରଛାତ୍ରୀମାନଙ୍କୁ ଗୁଣାତ୍ମକ ଶିକ୍ଷାରେ ଅନୁପ୍ରାଣିତ କରିବା ପାଇଁ ବ୍ୟାପକ ପଦକ୍ଷେପ ନେଇଥିବାବେଳେ ଓଡ଼ିଶା ସରକାର ଏହାକୁ କାହିଁକି କାର୍ଯ୍ୟକାରୀ କରୁନାହାନ୍ତି ବୋଲି କମିଶନ ନୋଟିସରେ ଉଲ୍ଲେଖ କରିଛନ୍ତି।

ରାଜ୍ୟର ରାଜଧାନୀ ଭୁବନେଶ୍ୱର ସମେତ ବିଭିନ୍ନ ଜିଲ୍ଲାରେ ଏଭଳି ବେଆଇନ ଶିକ୍ଷାନୁଷ୍ଠାନ ଖୋଲିବାରେ ଲାଗିଛି। ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ମୌଳିକ ଶିକ୍ଷା ପ୍ରଦାନ କରୁଥିବା ଏଭଳି ଶିକ୍ଷାନୁଷ୍ଠାନଗୁଡ଼ିକ ଛାତ୍ରଛାତ୍ରୀଙ୍କୁ ପ୍ରାଥମିକ ସ୍ତରରୁ ଉଚିତ ଜ୍ଞାନ ପ୍ରଦାନ କରିପାରୁନାହାନ୍ତି। ମୌଳିକ ଶିକ୍ଷା ଦୁର୍ବଳ ହେଉଥିବାରୁ ରାଜ୍ୟର ଛାତ୍ରଛାତ୍ରୀମାନେ ଜାତୀୟସ୍ତର ପ୍ରତିଯୋଗୀତାର ଅଧିକ ସଫଳତା ପାଉନାହାନ୍ତି। ରାଜ୍ୟ ସରକାର ଏଭଳି ଶିକ୍ଷାନୁଷ୍ଠାନ ଖୋଲିବା ପାଇଁ ସ୍ୱତନ୍ତ୍ର ନିୟମାବଳୀ ପ୍ରଣୟନ ପାଇଁ ପୂର୍ବରୁ ନିର୍ଦ୍ଦେଶ ଦିଆଯାଇଥିଲେ ମଧ୍ୟ କାହିଁକି କାର୍ଯ୍ୟକାରୀ ହେଉନାହିଁ ତାହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି।

ରାଜ୍ୟରେ ବିଭିନ୍ନ ଜିଲ୍ଲାରେ ଏହିଭଳି ୨୦ହଜାରରୁ ଅଧିକ ବେଆଇନ ପ୍ରାଥମିକ ଶିକ୍ଷାନୁଷ୍ଠାନ କାର୍ଯ୍ୟ କରୁଛି। ଏଗୁଡ଼ିକ ତୁରନ୍ତ ବନ୍ଦ କରିବା ନେଇ ପଦକ୍ଷେପ ନେବା ସହିତ କମିଶନଙ୍କ ନିକଟରେ ଜବାବ ଦାଖଲ କରିବାକୁ କୁହାଯାଇଛି।

Leave a Reply

Your email address will not be published. Required fields are marked *