ରାମ ମନ୍ଦିର ଲାଗି ଗମ୍ଭୀର ଦେଲେ କୋଟିଏ ଟଙ୍କା

ନୂଆଦିଲ୍ଲୀ, (ଓଡିଶା ଟାଇମ୍) : ଅଯୋଧ୍ୟାରେ ଭବ୍ୟ ରାମ ମନ୍ଦିର ନିର୍ମାଣ ପାଇଁ ୧ କୋଟି ଟଙ୍କା ଦାନ କଲେ ଭାରତର ପୂର୍ବତନ କ୍ରିକେଟର୍ ତଥା ବିଜେପି ସାଂସଦ ଗୌତମ ଗମ୍ଭୀର। ମନ୍ଦିର ନିର୍ମାଣ ଲାଗି ଗମ୍ଭୀର ଶ୍ରୀ ରାମ ଜନ୍ମଭୂମି ତୀର୍ଥସ୍ଥାନର ଟ୍ରଷ୍ଟର ସନ୍ଥଙ୍କୁ ସାକ୍ଷାତ କରି ଏହି ୧ କୋଟି ଟଙ୍କାର ଚେକ୍ ପ୍ରଦାନ କରିଛନ୍ତି। ତେବେ ଟଙ୍କା ଦେବା ପରେ ସାଂସଦ କହିଛନ୍ତି ଯେ, ଏହା କେବଳ ଏକ ମନ୍ଦିର ନୁହେଁ ବରଂ କୋଟି କୋଟି ଭାରତୀୟଙ୍କ ଆସ୍ଥାର ପ୍ରତୀକ। ଆଉ ଏଭଳି ଏକ ଶୁଭ କାମରେ ଅଳ୍ପ କିଛି ଯୋଗଦାନ କରିବା ମୋ ପାଇଁ ସୌଭାଗ୍ୟର କଥା। ଏକ ଭବ୍ୟ ରାମ ମନ୍ଦିର ଏବେ ସବୁ ଭାରତୀୟଙ୍କ ପାଇଁ ସ୍ୱପ୍ନ ପାଲଟିଥିବା ସେ କହିଛନ୍ତି।

ଗମ୍ଭୀର ଆହୁରି ମଧ୍ୟ କହିଛନ୍ତି, ଦୀର୍ଘଦିନ ଧରି ଅଟକି ରହିଥିବା ବିବାଦୀୟ ରାମ ମନ୍ଦିର ମୁଦ୍ଦା ଏବେ ଶେଷ ହୋଇଛି। ଅଯୋଧ୍ୟାରେ ଶ୍ରୀ ରାମ ମନ୍ଦିର ନିର୍ମାଣ ଦ୍ୱାରା ଅଯୋଧ୍ୟା ଓ ଏହାର ଆଖପାଖ ଅଞ୍ଚଳରେ ପର୍ଯ୍ୟଟକଙ୍କ ସଂଖ୍ୟା ମଧ୍ୟ ଧୀରେ ଧୀରେ ବଢିବାରେ ଲାଗିବ। ପର୍ଯ୍ୟଟକଙ୍କ ସଂଖ୍ୟା ବଢ଼ିଲେ ସ୍ଥାନୀୟ ଲୋକ ରୋଜଗାର ମଧ୍ୟ ପାଇବେ। ଏହି ଭବ୍ୟ ମନ୍ଦିର ନିର୍ମାଣ ପାଇଁ ମୁଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଜଣାଉଛି, ଯାହାଙ୍କ ପ୍ରୟାସରେ ଆମେ ସମସ୍ତେ ଏହି ଐତିହାସିକ କ୍ଷଣର ମୁକସାକ୍ଷୀ ହେବାକୁ ଯାଉଛୁ ବୋଲି କହିଛନ୍ତି ଗମ୍ଭୀର।

 

Leave a Reply

Your email address will not be published. Required fields are marked *