ଦିଲ୍ ମେଁ ହୈ ଆପ୍

ନୂଆଦିଲ୍ଲୀ(ଓଟି): ସବୁ ହୋହଲାରେ ତାଲା ପଡ଼ିଯାଇଛି। ଗର୍ଜନ ନାଇ କି କାଦୁଅ ଫିଙ୍ଗା ନାଇ। କ୍ଷମତା ପାଇଁ ଲଢ଼େଇ କରିଥିବା ସମସ୍ତଙ୍କ ଭାଗ୍ୟ ସିଲ୍‌ ହୋଇଯାଇଛି। ଅପେକ୍ଷା କେବଳ ଫଳକୁ। ଗଣତି ହେବ ଆଉ ଜଣାପଡ଼ିବ କିଏ ଧରିଲା ଶାସନର ଡୋରି। ହାତୀ କାହା ଉପରେ ଢାଳିଲା ସୁନା କଳସ। ଲୋକେ କାହାକୁ କରିଲେ ଭରସା; ଦେଲେ ସମର୍ଥନ। ସମ୍ପ୍ରତି ଦିଲ୍ଲୀ ବିଧାନସଭା ନିର୍ବାଚନ ପରିପ୍ରେକ୍ଷୀରେ ଏଭଳି ଅବଗଣନା ହିଁ ଚାଲିଛି। ଚା’ ଦୋକାନରୁ ମୋବାଇଲ୍‌ ଚାଟ୍‌ … ସବୁଠି ଚର୍ଚ୍ଚା କେବଳ ଗୋଟିଏ- ଦିଲ୍ଲୀ କାହାର? ଦେଶର ରାଜଧାନୀ ଦିଲ୍ଲୀ ନିର୍ବାଚନ ପରେ ପରେ ସାରା ଦେଶବାସୀଙ୍କ ନଜର କେନ୍ଦ୍ରିଭୂତ ହୋଇଛି ଆକଳନ ଉପରେ। ଏକ୍‌ଜିଟ୍‌ ପୋଲ୍‌କୁ ନେଇ ଜମୁଛି ଆଲୋଚନା। ସାଧାରଣରେ କୁହାଯାଉଛି- ଆରେ… ଦିଲ୍‌ ମେଁ ହୈ ଆପ୍‌। ଅର୍ଥାତ୍‌ ଦିଲ୍ଲୀରେ ପୁଣିଥରେ ଆପ୍‌ କ୍ଷମତାକୁ ଆସିବ; ଅରବିନ୍ଦ କେଜ୍ରିୱାଲଙ୍କ କ୍ରେଜ୍‌ ଜାରି ରହିବ ଆଉ କ୍ରମାଗତ ତୃତୀୟଥର ଲାଗି ସେ ଶାସନ ଡୋରି ଧରିବେ ବୋଲି ଏକ୍‌ଜିଟ୍‌ ପୋଲ୍‌କୁ ନେଇ ସାଧାରଣରେ ଆଲୋଚନା ସରଗରମ ହୋଇଛି।

ଉଲ୍ଲେଖଯୋଗ୍ୟ ଯେ ଗତ ଶନିବାର ଦିଲ୍ଲୀ ବିଧାନସଭା ନିର୍ବାଚନ ଶାନ୍ତିପୂର୍ଣ୍ଣ ଭାବେ ସରିଥିଲାବେଳେ ଆସନ୍ତା ୧୧ରେ ଭୋଟ୍ ଗଣତି କରାଯିବ। ଏହା ପୂର୍ବରୁ ଏଠାରେ କିଏ ବାଜିମାତ୍ କରିବ ସେନେଇ ଚର୍ଚ୍ଚା ଚାଲିଛି। ତେବେ ବିଭିନ୍ନ ଗଣମାଧ୍ୟମ ସଂସ୍ଥା ପକ୍ଷରୁ କରାଯାଇଥିବା ଏକଜିଟ୍ ପୋଲ୍ ଅନୁଯାୟୀ ଦିଲ୍ଲୀରେ ପୁଣି ଆପ୍‌ ହିଁ ଆସିବ। ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କରିବେ ହ୍ୟାଟ୍ରିକ୍। ଟାଇମ୍ସ ନାଓ, ରିପବ୍ଲିକ୍ ଟିଭି, ନ୍ୟୁଜ୍ ଏକ୍ସ, ଇଣ୍ଡିଆ ଟିଭି, ଜନ୍ କୀ ବାତ୍‌, ଟିଭି-୯ ଭାରତବର୍ଷ ଓ ଇଣ୍ଡିଆନ୍ ନ୍ୟୁଜ୍ ପକ୍ଷରୁ କରାଯାଇଥିବା ଏକଜିଟ୍ ପୋଲ୍ ସର୍ଭେରୁ ଏହା ଜଣାପଡ଼ିଛି। ଟାଇମ୍ସ ନାଓ-ଆଇପିଏସ୍‌ଓଏସ୍ ସର୍ଭେ ଅନୁଯାୟୀ ଆପ୍ ୪୪ ଆସନ ଓ ବିଜେପି ୨୬ ଆସନ ପାଇବ। ରିପବ୍ଲିକ୍‌-ଜନ୍ କୀ ବାତ୍ ଏକଜିଟ୍ ପୋଲ୍ ଅନୁଯାୟୀ ଆପ୍‌କୁ ୪୮-୬୧ ଏବଂ ବିଜେପିକୁ ୯-୨୧ ଆସନ ମିଳିପାରେ। ସେହିପରି ଏବିପି-ସି ଭୋଟର୍ ଅନୁସାରେ ଆପ୍ ୪୯-୬୩, ବିଜେପି ୫-୧୯ ଏବଂ କଂଗ୍ରେସ ୦-୪ ଆସନ ପାଇବ। ନ୍ୟୁଜ୍ ଏକ୍ସ-ପୋଲ୍‌ଷ୍ଟ୍ରାଟ୍ ଅନୁଯାୟୀ ଆପ୍ ୫୦-୫୬, ବିଜେପି ୧୦-୧୪ ଓ କଂଗ୍ରେସ ୦-୧ ଆସନ ପାଇବେ। ଇଣ୍ଡିଆ ଟୁଡେ-ଆକ୍ସିସ୍ ଏକଜିଟ୍ ପୋଲ୍ ଅନୁଯାୟୀ ଆପ୍ ୫୯-୬୮ ଓ ବିଜେପି ୨-୧୧ ଆସନ ପାଇବେ।

ତେବେ ଆସନ୍ତା ମଙ୍ଗଳବାର ଭୋଟ୍ ଗଣତି ଓ ଫଳାଫଳକୁ ସମସ୍ତଙ୍କ ଅପେକ୍ଷା ରହିଥିବାବେଳେ ଏକ୍‌ଜିଟ୍‌ ପୋଲ୍‌ ସର୍ଭେକୁ ନେଇ ଆପ୍‌ ସମର୍ଥକ ବେଶ୍ ଖୁସି ରହିଥିବା କୁହାଯାଉଛି।

Leave a Reply

Your email address will not be published. Required fields are marked *